ଓଡିଆରେ ଭାରତୀୟ ଜ୍ଞାନ ପରମ୍ପରା(IKS In Odia)
ପରିସଂଖ୍ୟାନରୁ ଜଣାଯାଇଛି ଯେ ସଂଗ୍ରହାଳୟରେ ୨୪୮ଟି ଗଣିତ ପୋଥି ଉପଲବ୍ଧ। ତହିଁରୁ ଗଣିତଜ୍ଞମାନଙ୍କ ସଂଖ୍ୟା ପ୍ରାୟ ୫୦। ସେଥିମଧ୍ୟରୁ ଗୋଦାବରୀ ରାୟଗୁରୁଙ୍କ ଅଦ୍ୱୈତ ଦର୍ପଣ ଏବଂ ଓଡିଆ ଲିପିରେ ଲିଖିତ ସିଦ୍ଧାନ୍ତ ଶିରୋମଣୀ ଅନ୍ୟତମ।
ମାଗୁଣି ପାଠୀଙ୍କ ମନ୍ଦାର୍ଥବୋଧିନୀଟୀକାର ପାଣ୍ଡୁଲିପି ସଂଖ୍ୟା ସର୍ବାଧିକ ଛଅ। ସେଗୁଡିକୁ ଗଞ୍ଜାମ, ପୁରୀ ଓ ମେଦିନୀପୁରରୁ ସଂଗ୍ରହ କରାଯାଇଛି।
ଲୋକନାଥ ନାୟକଙ୍କର ଅନୂଦିତ ଲୀଳାବତୀ ସୂତ୍ରର ସଂଖ୍ୟା ସର୍ବାଧିକ ୧୭। ଏହି ପୁସ୍ତକର ବିଭିନ୍ନ ନାମ ଗୁଡିକ ହେଲା ଯଥା- ଖଡିଲୀଳାବତି, ଲୀଳାବତି ପାଟି ଗଣିତ, ଖଡି ରସବତୀ, ଖଡି ସାରସତ୍ୱ। ଗ୍ରନ୍ଥ ଗୁଡିକ ତେର ଛାନ୍ଦରେ ବିଭକ୍ତ,ପଦ୍ୟ ଓ ଗଦ୍ୟର ସମାହାର ଅଟେ।
ସଂକଳିତ ଗ୍ରନ୍ଥ ଗୁଡିକର ଶୀର୍ଷକ ଯଥାକ୍ରମେ- ସୂତ୍ରସାର, ଲେଖସାର,ପାଠ ସମୁଦ୍ର, ନଳସାଗର, ଖଡିପୋଥୀ, ଗଣିତ ଚଉପଦୀ, ଓଡାଙ୍କ ଓ ମେଲାଙ୍କ ଇତ୍ୟାଦି।
ନଳମାପ, ପଣିକିଆ ସୂତ୍ର, ବର୍ଗକୋଟା, ପୋଥିପାଠ, ବୀଜଗଣିତ, ବର୍ଗଫଳ, ନାଗହର ଶୀର୍ଷକ ସ୍ୱତନ୍ତ୍ର ପୋଥିମାନ ରହିଛି।
ସମୟ ନିର୍ଘଣ୍ଟର ଏକମାତ୍ର ପୋଥି ସୂର୍ଯ୍ୟ ସିଦ୍ଧାନ୍ତ ଅଟେ।
ଭଉଁରିଆ ନଳ ଓ ଗଣିତ ଶୀର୍ଷକ ଦୁଇଟି ପୋଥି ଯଥାକ୍ରମେ ଭଉଁରିଆ ଓ ଗଣ୍ଡୁଚୁଆଁ ଗ୍ରାମର ପରିସୀମାର ବିବରଣୀ।
କେତେକ ପୋଥିର ସମ୍ପୂର୍ଣ୍ଣ ବିବରଣୀ ନମିଳିବାରୁ ଅବଧାନମାନଙ୍କ ଦ୍ୱାରା ଏହାକୁ ପ୍ରାୟ ଉନ୍ନବିଂଶ ଶତାବ୍ଦୀରେ ରଚନା କରଯାଇଥିଲା ଏବଂ ଏହାର ଦୁଇଟି କାରଣ ହେଉଛି ଯଥା-
୧) ଗଣିତ ଗୁଡିକର ରଚନା ରୀତି। ରୀତି ଉଭୟ ଗଦ୍ୟ ଓ ପଦ୍ୟର ସମାହାର। ରାଗରାଗିଣୀ ସମୃଦ୍ଧ, ଗାନ ଧର୍ମୀ ଏବଂ ଭାଷା ଉନ୍ନବିଂଶ ଶତାବ୍ଦୀର ଅଟେ।
୨) ଇଂରେଜ ପ୍ରଶାସନ ଓ ପାଦ୍ରୀମାନେ ଶାସିତ ଭୂମିକୁ ଏକ ନୂତନ ରୂପରେ ଦେଖିବାକୁ ଚାହାଁନ୍ତି। ସେଥିପାଇଁ ସେମାନେ ବିଦ୍ୟାଳୟ ଖୋଲିଛନ୍ତି, ବହି ଲେଖିଛନ୍ତି, ନୂତନ ପ୍ରକାରର ପାଠପଢା, ମଣିଷ ମାନଙ୍କର ଚେତନାକୁ ଆଲୋକିତ କରିବା ସହ ଜୀବନ ଧାରଣର ଶୈଳିକୁ ପରିବର୍ତ୍ତିତ କରିଛନ୍ତି।
ଗଣିତ କହିଲେ ଆମ୍ଭମାନଙ୍କର ଧାରଣା ଏହା ଏକ ସଂଖ୍ୟାକୈନ୍ଦ୍ରିକ ବିଦ୍ୟା। ଏହାକୁ ନେଇ ଓଡିଆ ଭାଷାରେ ଏ କଥା ଅଛି – ହର, ଗୁଣ, ଫେଡ, ମିଶା, ଆଉ ଯେତେ ପାଠ ଫସରଫସା । ଏହାର ଅର୍ଥ ହରଣ, ଗୁଣନ, ଫେଡାଣ ଓ ମିଶାଣ କୌଶଳ ସାଧିପାରିଲେ, ପାଠ ଶେଷ। ଏହା ଭଲ କଥା ନୁହେଁ। ଏହା ମଧ୍ୟରେ ଲୁଚି ରହିଥିବା ଗୂଢ ରହସ୍ୟକୁ ସେମାନେ ବୁଝିପାରନ୍ତି ନାହିଁ।
ଜ୍ଞାନ ଶୃଙ୍ଖଲାର ବିଭିନ୍ନ ରୂପ ଅଧ୍ୟୟନରେ ଦୁଇଗୋଟି ଧାରା ରହିଛି।
୧) ଭାଷା, ସାହିତ୍ୟ, ଧର୍ମ, ଦର୍ଶନ, ନୀତିଶାସ୍ତ୍ର, ସଙ୍ଗୀତ ଓ ନୃତ୍ୟ, ଚିତ୍ର ଓ ସ୍ଥାପତ୍ୟ।
୨) ଗଣିତ, ଜ୍ୟୋତିର୍ବିଦ୍ୟା, ଆୟୁର୍ବେଦ ଇତ୍ୟାଦି।
ଉପରୋକ୍ତ ଦୁଇଟି ଧାରା ନିବିଡ ଭାବରେ ସମ୍ପର୍କିତ ଏବଂ ଏହି ନିବିଡତାର ସୂତ୍ର ହେଉଛି ‘ ଗଣିତ ’।
ବ୍ୟକ୍ତି ଅଥବା ସମାଜ – ଜୀବନ – ଯାତ୍ରାର ପ୍ରତ୍ୟେକ କ୍ଷେତ୍ରରେ, ଗଣିତ ବିଦ୍ୟା ସୂକ୍ଷ୍ମ ଭାବରେ କ୍ରିୟାଶୀଳ। ଆମର ସାଧାରଣ ଚକ୍ଷୁ ଏବଂ ବୋଧଶକ୍ତି ଗଣିତର କିରଣ ବା ରହସ୍ୟକୁ ସହଜରେ ବୁଝିପାରେ ନାହିଁ। କେତେକ ଭାବବାଦୀ ଉପଯୁକ୍ତ ବିଚାରକୁ ପୂର୍ଣ୍ଣତଃ ଗ୍ରହଣ କରିପାରନ୍ତି ନାହିଁ। ସେମାନଙ୍କର ଯୁକ୍ତି ଜଗତର ପ୍ରତ୍ୟେକ ସଂରଚନା ଅବଶ୍ୟ ସୂତ୍ରବଦ୍ଧ, ମାତ୍ର ସଂରଚନାର ବାସ୍ତବ ସୌନ୍ଦର୍ଯ୍ୟ ’ସୂତ୍ର ନୁହେଁ’ ସୂତ୍ରୋତ୍ତର ଅଟେ। ସଂରଚନାର ନବାୟନ ସବୁ କାଳରେ, ବ୍ୟକ୍ତିର ଗୁଣସୂତ୍ର – ଅବବୋଧ – ନିର୍ଭର, ଏକଥା ମିଛ ନୁହେଁ। କୌଣସି ସଂରଚନାର ଗୁଣସୂତ୍ର ଗଣିତ, ଏବଂ ସଂରଚନାର ଆଧ୍ୟାତ୍ମରୂପ, ସୂତ୍ରର ନିର୍ଭର ଅତ୍ୟନ୍ତ ସୂକ୍ଷ୍ମ ସ୍ତରରେ ଘଟିଥାଏ।
ଓଡିଶା, ରାଜନୈତିକ ଆୟତନ ଏବଂ ଗଣିତ, ଜ୍ଞାନ ଶୃଙ୍ଖଳାର ଅନ୍ୟତମ ରୂପ। କୌଣସି ରାଜନୈତିକ ଆୟତନ ଏବଂ ଆୟତନରେ ବିଦ୍ୟା ଚର୍ଚ୍ଚା ପରସ୍ପର ସହ ଏକ ସୂତ୍ରରେ ବିବନ୍ଧିତ ରହିଥାନ୍ତି।
ବିଦ୍ୟା ହେଉଛି ପ୍ରତିଭା - ମେଧା – ସମୁତ, ମାତ୍ର ଜନ ସମୁଦାୟ ଏହାର ଧାତ୍ରୀ ଓ ବିକାଶର କର୍ତ୍ତ୍ରୀ।
କ୍ଷମତା ଜନ ସମୁଦାୟର ନିୟନ୍ତ୍ରକ, ବିଦ୍ୟାର ଶକ୍ତିକୁ ଅନୁଭବ କରିଛି। ଅନୁଭବ କରିଛି ଜ୍ଞାନ ହିଁ କ୍ଷମତା ଏବଂ ଆପଣାର ସ୍ୱାର୍ଥ ପୂରଣରେ ଏହ ଶକ୍ତିର ପ୍ରୟୋଗ କରାଯାଇଛି।
ପ୍ରାଥମିକ କାଳର ଜନ ନିୟନ୍ତ୍ରିତ ବିଦ୍ୟା ପରବର୍ତ୍ତୀ କାଳରେ କ୍ଷମତା ନିୟନ୍ତ୍ରିତ ହୋଇଛି। ଏହି ପ୍ରକ୍ରିୟାକୁ ବିଦ୍ୟାର ରାଜନୀତୀକରଣ କୁହାଯାଏ।
ଏଠାରେ ଓଡ଼ିଶା କହିଲେ,ଆଧୁନିକ ଭାରତବର୍ଷର ଅନ୍ୟତମ ରାଜନୀତିକ ଏକକ ବୁଝିବା ନାହିଁ । ଏହାର ପ୍ରାମାଣିକ, ରାଜନୈତିକ ଓ ସାଂସ୍କୃତିକ ଇତିହାସ ପ୍ରାୟ ଅଢ଼େଇ ହଜାର ବର୍ଷ ଅବଧିରୁ ଅଧିକ । ବିଭିନ୍ନ ସମୟରେ ବହୁ ଜନଗୋଷ୍ଠୀ କ୍ଷମତା ଭୋଗପାଇଁ ଏହି ଭୂମିରେ ପରସ୍ପର ସହ ଲଢ଼େଇ କରିଛନ୍ତି । ଅନ୍ୟ ଭୂମିର କ୍ଷମତା ବିରୋଧରେ ପ୍ରତିବାଦ କରିଛନ୍ତି । କେବେ ହାରିଛନ୍ତି, କେବେ ଜିତିଛନ୍ତି । ଏହାର ବିଭିନ୍ନ ଅଂଶ, ଭିନ୍ନ ଭିନ୍ନ କାଳଖଣ୍ଡରେ କଳିଙ୍ଗ, ଖୂମଣ୍ଡଳ ଉଚ୍ଚ, କୋଶଳ କଂଦ ଆଦି ନାମରେ ପରିଚିତ ହୋଇଛି । ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଅଶୋକ ଓ ଖାରବେଳଙ୍କ ଶାସନ କାଳରୁ ଏହାର ରାଜନୈତିକ ଓ ସାଂସ୍କୃତିକ ପରିଚୟ ସୃଷ୍ଟ ହୋଇଛି । ତୋଷାଳି, ଖଣ୍ଡଗିରି, ଉଦୟଗିରି, ପୁଷ୍ପଗିରି, ଲଳିତଗିରିରୁ ଆରମ୍ଭ କରି ସମ୍ପ୍ରଦ ଶତାଦ୍ଦୀ ପର୍ଯ୍ୟନ୍ତ ନିର୍ମିତ ସ୍ଥାପତ୍ୟ ଓ ମୂର୍ତ୍ତିକଳା, ଧର୍ମ ଓ ଦର୍ଶନ ଚର୍ଯାକ୍ଷେତ୍ରରେ ସ୍ଵଳ୍ପତା ପ୍ରମାଣ ରହିଛି । ଅଧ୍ୟୟନ ଓ ଅଧ୍ୟାପନ ଯେ, କୌଣସି ଜନସମୁଦାୟର ଚେତନାର ଉଦ୍ଗୀଳନର କାରଣ, କ୍ଷମତା ଓ ଧର୍ମାଚାର୍ଯ୍ୟମାନଙ୍କଦ୍ୱାରା ପ୍ରତିଷ୍ଠିତ ବିହାର ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏହାର ପ୍ରମାଣ ବହନ କରୁଛି ।
ପୃଥିବୀର ଅନ୍ୟ ଭୂମି ପରି, ଓଡିଶାର ଗଣିତ ବିଦ୍ୟା ସହିତ ,ସମ୍ପର୍କ ସୁପ୍ରାଚୀନ ଅଟେ।
ଖ୍ରୀ.ପୂ. ୫ମ ରୁ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ଅବଧିରେ ଭାରତ ବର୍ଷର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦେଶ ସମୂହ ଏବଂ ଜାଭା, ସୁମାତ୍ରା,ବାଲି, ସିଂହଳ ଆଦି ଦରିଆପାରି ଭୂଭାଗ ସହିତ ଓଡିଶାର ବାଣିଜ୍ୟିକ ସାଂସ୍କୃତିକ ସମ୍ପର୍କ ଘନୀଭୂତ ହୋଇ ରହିଛି।
ପୁନଶ୍ଚ ଅଶୋକଙ୍କ ଶାସନ କାଳଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଉପକୂଳସ୍ଥ ତୋଷାଳି, ଧଉଳିଗିରି, ଖଣ୍ଡଗିରି, ଉଦୟଗିରି, ପୁରୀ, କୋଣାର୍କ; ଅମରାବତୀ (ଯାଜପୁର), ଲଳିତଗିରି, ପୁଷ୍ପଗିରି (ଯାଜପୁର); ଦକ୍ଷିଣରେ ସୀମାଚଳମ୍, ଚନ୍ଦ୍ରଗିରି; ପଶ୍ଚିମରେ ମାରାଗୁଡ଼ା ଉପତ୍ୟକା, କୋଶଳ (ପଶ୍ଚିମ), ଖୂମଣ୍ଡଳ (ମୟୂରଭଂଜ) ଆଦି ଭୂଭାଗରେ ନାନା ଆକାରର, ପ୍ରକାରର ସୂକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ସ୍ଥାପତ୍ୟ ଓ ପ୍ରତିମାମାନ ଜନ୍ମ ନେଇଛନ୍ତି । ପ୍ରତ୍ୟେକ ସଂରଚନା ଆମ ସୂକ୍ଷ୍ମ ଗଣିତବୋଧର ପ୍ରମାଣ।
ଶିଳ୍ପ ବିଦ୍ୟା, ଜ୍ୟୋତିର୍ବିଦ୍ୟା, ସମର ବିଦ୍ୟା, ଗାନ୍ଧର୍ବ ବିଦ୍ୟା, ବ୍ୟାକରଣ ଓ ସାହିତ୍ୟ ତତ୍ୱ, ଅର୍ଥ ତତ୍ୱ - ସକଳ ବିଦ୍ୟା ଗଣିତ ବିଦ୍ୟାର ଅନ୍ତର୍ଗତ ।
ବିଦ୍ୟା ଥିଲା ନିର୍ଦ୍ଧିଷ୍ଟ ଜନସମାଜର ଜୀବନ ଏବଂ ବୃତ୍ତି। ସେହି କାଣରୁ ଏହା ପାରମ୍ପରିକ ହୋଇ ରହିଥିଲା। କ୍ଷମତାର ଇଚ୍ଛା ଏବଂ ସର୍ଜନ ଶକ୍ତି ସେମାନଙ୍କର ବୃତ୍ତିଗତ ଜୀବନକୁ ନିୟନ୍ତ୍ରଣ କରୁଥିଲା।
ସକଳ ବିଦ୍ୟା ଶ୍ରୁତିରେ ଥିଲା। ପରବର୍ତ୍ତୀ କାଳରେ ସ୍ମୃତିରେ ରୂପାନ୍ତରିତ ହୋଇଛି। ସ୍ମୃତି ଅର୍ଥାତ୍ ଲିପି ବା ଅଙ୍କ ମାଧ୍ୟମରେ ଶାସ୍ତ୍ରରେ ରୂପାନ୍ତରିତ ହୋଇଅଛି।
ଶାସ୍ତ୍ର ଚର୍ଚ୍ଚା କ୍ଷମତାର ଇଚ୍ଛା ଓ କ୍ଷମତା – ନିଯୁକ୍ତି ଅହଂକାରରୁ ମୁକ୍ତ ହେଉଅଛି।
ଓଡ଼ିଶାରେ ବିଦ୍ୟାର ଜନପଦୀକରଣର ସାରଳା ଦାସଙ୍କ ମହାଭାରତ ଗ୍ରନ୍ଥରେ ବିଶଦ ବର୍ଣ୍ଣନା ରହିଛି । କବି ଜଣେ କୃଷିକାରୀ ଶୁଦ୍ର, ମାତ୍ର ବହୁବିଦ୍ୟାର ଅଧିକାରୀ ଥିଲେ। ପ୍ରସଙ୍ଗକ୍ରମେ, ସେ ନାନା ବିଦ୍ୟା ଓ ଶାସ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି।
ବିଦ୍ୟା ତାଲିକାରେ ଗଣିତ, ଜ୍ୟୋତିର୍ବିଦ୍ୟା, ଯୁଦ୍ଧବିଦ୍ୟା (ଅସ୍ତ୍ରଚାଳନା, ବ୍ୟୁହରଚନା), ବାସ୍ତୁବିଦ୍ୟା ମଧ୍ୟ ରହିଛି । ବ୍ୟକ୍ତିଜୀବନ ଓ ଜଗତ କାଳ ନିୟନ୍ତ୍ରିତ, ଅନୁରୂପ ଧାରଣା ତାଙ୍କ ଚେତନାରେ ଜୀବନ୍ତ ରହିଛି।
ଗ୍ରନ୍ଥ ହେଉଛି କାଳ,ସ୍ଥାନ,ପଦାର୍ଥ ଓ ଗତି ଆଦିର ସ୍ୱରୂପ ଏବଂ ପଦାର୍ଥର ମୂଲ୍ୟାୟନ ଓ ବିପଣନ ବ୍ୟବସ୍ଥାର ଚିତ୍ରଶାଳା।
ବିଲିତା, ଲିତା, ଦଣ୍ଡ, ଘଡ଼ି, ପ୍ରହର, ଦିନ, ମାସ, ସମ୍ବତ୍ସର, କଳ୍ପ ଓ କଳ୍ପାନ୍ତର ଶବ୍ଦ କାଳ।
ସମୟ ହିସାବ
ଦଣ୍ଡ ସମୟର ସର୍ବନିମ୍ନ ଏକକ
ଲବ ଦୁଇ ଦଣ୍ଡ
ଏକ ନିମିଷ ଦୁଇ ଲବ
ଏକ କଷ୍ଟି ତିରିଶି ନିମିଷ
ଏକ ଘଟି ଷୋହଳ କଳା
ଏକ ଘଟି ଷୋଳକଳା
ଏକ କଳା ତିରିଶି କଷ୍ଟ
ଏକ ଘଡ଼ି ଚଉଷଠି କଷି
ଏକ ପ୍ରହର ଚାରି ଘଡ଼ି
ଏକ ଦିବସ ଆଠ ପ୍ରହର, ୩୨ଘଡ଼ି
ଏକ ମାସ ତିରିଶି ଦିନ
ଏକ ବର୍ଷ ତିନି ଶହ ଷାଠିଏ ଦିନ
ଯୁଗ ଚାରିଯୁଗ:ସତ୍ୟ, ତ୍ରେତୟା, ଦ୍ୱାପର, କଳି
ସତ୍ୟଯୁଗ ସତରଲକ୍ଷ ଅଠାଇଶି ହଜାର ବର୍ଷ
ତ୍ରେତୟାଯୁଗ ବାରଲକ୍ଷ ଛୟାନବେ ହଜାର ବର୍ଷ
ଦ୍ଵାପରଯୁଗ ଆଠଲକ୍ଷ ଚଉଷଠି ହଜାର ବର୍ଷ
କଳିଯୁଗ ଚାରିଲକ୍ଷ ଷାଠିଏ ହଜାର ବର୍ଷ
ମହାଯୁଗ ଚାରିଯୁଗର ସମାନ
କଳ୍ପ ଏକଶହ ମହାଯୁଗ, ବ୍ରହ୍ମାଙ୍କୁ ଏକ ଦିନ, ୪୩,୨୦,୦୦,୦୦,୦୦ବର୍ଷ (ସଇଁତିରିଶି ମାନବ ବର୍ଷ),
ଘଟି ବାସୁଦେବଙ୍କ ଏକଦିନ, ବ୍ରହ୍ମାଙ୍କୁ ଶହେବର୍ଷ
କାଳ ରୁଦ୍ରଙ୍କୁ ଏକ ଦିନ, ବାସୁଦେବକୁ ଶହେବର୍ଷ
କଷ୍ଟା ମହାଦେବଙ୍କୁ ଏକ ଦିନ, ରୁଦ୍ରଙ୍କୁ ଏକଶହ ବର୍ଷ
ଲବ ଶକ୍ତିଙ୍କୁ ଏକ ଦିନ, ଶିବଙ୍କୁ ଏକ ଶହ ବର୍ଷ
ତ୍ରୁଟି ଶିବଙ୍କୁ ଏକଦିନ, ଶକ୍ତିଙ୍କୁ ଏକଶହ ବର୍ଷ
ଶିବଙ୍କର ଆୟୁଷ
୫୭୨୬୪୧୪୭୧୨୬୫୮୯୪୫୮୧୮୭୫୫୦୭୦୦୦୦୦୦୦୦ ୦୦୦୦୦୦ ୦୦୦୦୦୦୦୦୦
ବିନ୍ଦୁ, ରେଖା, ଗୋଲାକାର, ବର୍ଗାକାର ଶବ୍ଦ ସ୍ଥାନର ଆକାର।
ଆଂଗୁଳ, ମୁଠା, ଚାଖଣ୍ଡ, ପାହୁଣ୍ଡ, ହାତ, ନଳ, କୋଶ ଓ ଯୋଜନ ଆଦି ଶବ୍ଦ ଦୂରତା।
ଭୂମିର ଦୂରତ୍ୱ ମାପ
ତିଳ: ସର୍ବନିମ୍ନ ଦୂରତ୍ୱର ଏକକ
ଅଙ୍ଗୁଳ: ଯେ କୌଣସି ଅଙ୍ଗୁଳିର ଚଉଡ଼ା
ମୁଠା: ବାପି ଆଙ୍ଗୁଳି, ବୁଢ଼ା ଆଙ୍ଗୁଳି ବ୍ୟତୀତ ଅନ୍ୟ ବାରି ଆଡେ଼ ଯୋଡ଼ିରୁ ସୃଷ୍ଟି ଦୂରତା, ଛଅ ତିଳ
ଏକ ଦସ୍ତ: ଛଅ ଆଙ୍ଗୁଳ
ଚାଖଣ୍ଡ: ବାର ଆଙ୍ଗୁଳ
ହାତ: ଦୁଇ ଚାଖଣ୍ଡ, ଚବିଶି ଆଙ୍ଗୁଳ
ଦଣ୍ଡ: ଚାରି ହାତ
ବାଂଶ: ଦଶ ହାତ
ନିବର୍ତ୍ତନ: କୋଟିଏ ବାଂଶ
କୋଶ: ଦୁଇହଜାର ହାତ
ଗଦ୍ୟୁତି: ଦୁଇ କୋଶ
ଯୋଜନ: ଚାରି କୋଶ
ବଂଶ: ଦଶ କୋଶ
ହଡ଼ି: ପାଞ୍ଚ ବଂଶ
ଜରିବ: ଶହେ ହଡ଼ି
ଏକ କୋଶ: ଆଠଶହ ହାତ
ଦେଶ: ଏକ ଶହ ଯୋଜନ
କର୍ଣ୍ଣ: ଦୁଇ ହଜାର କୋଶ
ମଣ୍ଡଳ: ଏକ ଶହ ଦେଶ
ଏକରୁ ଅହିବ୍ରତ, ଅକ୍ଷୌହଣି, ପରାଦ୍ଧ ଆଦି ଶବ୍ଦ ସଂଖ୍ୟା।
ସଂଖ୍ୟାର କ୍ରମ
ଏକ: ୦୧
ଦଶ: ୧୦
ଶତ: ୧୦୦
ସହସ୍ର: ୧୦୦୦
ଅୟୁତ: ୧୦୦୦୦
ଲକ୍ଷ: ୧,୦୦୦୦୦
ନିୟୁତ: ୧,୦୦୦୦୦୦
କୋଟି: ୧, ୦୦୦୦୦୦୦
ମର୍ଭୂତ: ୧,୦୦୦୦୦୦୦୦
ବଦ୍ଧ: ୧,୦୦୦୦୦୦୦୦୦
ଖର୍ବ: ୧,୦୦୦୦୦୦୦୦୦୦
ନିଖର୍ବ: ୧,୦୦୦୦୦୦୦୦୦୦୦
ଶୃଙ୍ଖ: ୧,୦୦୦୦୦୦୦୦୦୦୦୦
ପଦ୍ମ: ୧,୦୦୦୦୦୦୦୦୦୦୦୦୦
ସାଗର: ୧,୦୦୦୦୦୦୦୦୦୦୦୦୦୦
ଅନନ୍ତ: ୧, ୦୦୦୦୦୦୦୦୦୦୦୦୦୦୦
ମଧ୍ୟ: ୧,୦୦୦୦୦୦୦୦୦୦୦୦୦୦୦୦
ପରାର୍ଦ: ୧,୦୦୦୦୦୦୦୦୦୦୦୦୦୦୦୦୦
ନଳ, ବିଶ୍ୱା, ବାଟି ଆଦି ଶବ୍ଦ ଭୂମିର ଆୟତନ।
ଭୂମିର ଆୟତନ
କାଣୀ/କଡ଼ି: ଦଶ ଆଙ୍ଗୁଳ
ଏକ ବିଶ୍ୱା: ଚାରି କାଣୀ
ଏକ ଗୁଣ୍ଠ: ଷୋଳ ବିଶ୍ୱା, ଚାରି ଡେସିମିଲ୍
ଏକ ଏକର: ପଚିଶି ଗୁଣ୍ଡ, ଶହେ ଡେସିମିଲ
ଏକ ବାଟି: କୋଡ଼ିଏ ଏକର
ଚିନା, ମସା, ରତି, ପଳ, ଅଢ଼ା, ର୍ପା, ମାଢ଼, ନଉତି, ଭରଣ, କଡ଼ା, ଗଣ୍ଡା, ପଣ, କାହାଣ ଆଦି ଶବ୍ଦ ପଦାର୍ଥର ପରିମାଣ ନିର୍ଣ୍ଣୟର ଏକକ ଭାବରେ ବ୍ୟବହାର କରିଛନ୍ତି।
ପଦାର୍ଥ/ସଂଖ୍ୟା ଆଧାର
ଏକ: ୦୧
ଏକ ଗଣ୍ଡା, ଏକ ପୁଞ୍ଜା: ୦୪
ବୋଡ଼ିଏ : ପାଞ୍ଚ ଗଣ୍ଡା =୨୦
ପଣା: ଚାରି ବୋଡ଼ି = ୨୦ଗଣ୍ଡା : ୮୦
ପଦିକା : ଚାରି ପଣ, ୮୦x୪= ୩୨୦
କାହାଣ : ଚାରି ପଦିକା, ଷୋଳ ପଣ, ଚଉଷଠି ବୋଡ଼ି= ୧୨୮୦
ପାହି : ଚାରି କାହାଣ ୧୨୮୦x୪=୫୧୨୦
କଡ଼ା : ୫୦
କାଳିଣି: ୨୦ କଡ଼ା= ୫୦x୨୦= ୧୦୦୦
ପଣ: ଚାରି କାଳିଣି =୧୦୦୦x୪= ୪୦୦୦
ଦ୍ରମ୍ବ: ଷୋଳପଣ= ୪୦୦୦x୧୬=୬୪୦୦୦
ନିଷ୍କ : ଷୋଳ ଦ୍ରମ୍ବ= ୬୪୦୦୦x୧୬= ୧୦,୨୪,୦୦୦
ସୁନା ଓ ରୂପା ମାପ
ରତି/ଗୁଂଜ: କ୍ଷୁଦ୍ର ଏକକ
ଚିନା : ଚାରି ରତି
ମଶା : ଦୁଇ ଚିନା, ଏକ ଗୁଂଜର ଦଶଭାଗରୁ ଏକ ଭାଗ
ମାଢ: ପାଞ୍ଚ ମଶା, ଦଶ ଚିନା
କର୍ଷ: ଷୋଳ ମଶା
ତୋଳା/ଭରି : ଦୁଇ ମାଢ଼, କୋଡ଼ିଏ ଚିନା
ଶସ୍ୟାଦି ପଦାର୍ଥ ମାପ
ମୁଠା : କ୍ଷୁଦ୍ର ଏକକ
ଆଞ୍ଜୁଳ: ଆଠ ଯବ ଧାନ
କୁଞ୍ଚା : ଚାରି ମୁଠା
ଅଧା ପାଆ’: ଆଠ ମୁଠା, ଦୁଇ କୁଞ୍ଚା
ପାଆ’: ଷୋଳ ମୁଠା, ଚାରି କୁଞ୍ଚା
ମାଣ, ସେର : ଚାରି ପାଆ’
ଗଉଣି : ଚାରି ସେର/ମାଣ
ବିଶା: ପାଞ୍ଚ ସେର
ମଢ଼ଙ୍ଗ: ଆଠ ବିଶା
ନଉତି : ବାର ମାଣ
ପଉଟି : କୋଡ଼ିଏ ନଉତି
ମହଣ : ଚାଳିଶି ମାଣ
ଭରଣ : ଚାରି ପଉଟି, ଅଶି ଗଉଣି
ଖାରିକ : ଏକ ଘନ କ୍ଷେତ୍ରରେ ରହୁଥିବା ଧାନର ପରିମାଣ (ମଗଧ ଦେଶର ହିସାବ)
ଦ୍ରୋଣ: ଖାରିକର ଷୋହଳ ଭାଗରୁ ଏକ ଭାଗ
ତରଳ ପଦାର୍ଥ ମାପ
କରି: ତେଲ ମାପର ସର୍ବ ନିମ୍ନ ଏକକ
ଏକ ଫୁଲି : ଏକ ପଳ: ଚାରି କରି
ଏକବିଶା : ଚାରି ଫୁଲି
ଏକ ଭଙ୍ଗ: ଦଶ ବିଶା
ଏକ ଛଟାଙ୍କି : ଚାରି ପଳ
ଏକ ପାଆ’: ଚାରି ଛଟାଙ୍କି
ଏକ ଶେର : ଚାରି ପାଆ’
ପ୍ରଜାମାନେ କେଉଁ ପରିମାଣର ପଦାର୍ଥ ରାଜାଙ୍କୁ କରସ୍ୱରୂପ ପ୍ରଦାନ କରିବେ ଏବଂ ଆଦର୍ଶ ବିପଣନ ସମ୍ପର୍କରେ ମଧ୍ୟ ମହାଭାରତ ଗ୍ରନ୍ଥରେ ବର୍ଣ୍ଣନା ରହିଛି ।
କବି ଯୁଧୃଷ୍ଟିରଙ୍କ ମାଧ୍ୟମରେ ହରି ସାହୁ ନାମକ ବୈଶ୍ୟକୁ ଏ ସମ୍ପର୍କରେ କହୁଛନ୍ତି-
ବଣିଜେ ସ୍ୱରୂପ କରି କହିବା ନାନା କଥା
ଲାଭ ଲାଇ କହିବ ସେ ନକହିବ ମିଥ୍ୟା ।
ଗଣ୍ଡାକରେ କଡ଼ାୟେ ଲାଭ ବୋଡ଼ିକରେ ଗଣ୍ଡାଏ
ପଣକରେ ବୋଡ଼ିଏ କାହାଣକରେ ପଦିକାୟେ ।
ଚାରି ପାଦେ କିଣିବ ବିକିବ ପାଞ୍ଚ ପାଦେ
ପୁଣ୍ୟ ମାର୍ଗେ ଥିବ ନ ପଶିବ ପରମାଦେ । (ସ୍ୱର୍ଗାରୋହଣ; ପର୍ବ ପୃ- ୨୭)
ଷୋଡଶ ଶତାବ୍ଦୀରେ କବି ବନମାଳି ଦାସ ଚାଟ ଇଚ୍ଛାବତୀ ଶୀର୍ଷକ କାବ୍ୟ ଲେଖିଛନ୍ତି। ନରସିଂହ ଶେଣଙ୍କ ପରିମଳା କାବ୍ୟରେ ଚାଟଶାଳିର କଥା ରହିଅଛି। ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇଯାଏ ଯେ ଜନପଦବାସୀମାନେ ଅକ୍ଷର ଓ ଅଙ୍କଶିକ୍ଷାର ଆବଶ୍ୟକତା ଅନୁଭବ କରିଛନ୍ତି। ସାହିତ୍ୟ ଓ ଗଣିତ ବିଦ୍ୟାର ସହଯାତ୍ରୀ ହୋଇଛନ୍ତି।
ଉପାଧ୍ୟାୟମାନେ ସୃଷ୍ଟିର ପ୍ରଥମ ବିଦ୍ୟଦାତ୍ତା ଅଟନ୍ତି। ଏପରିକି ସେମାନେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ମଧ୍ୟ ଜ୍ଞାନ ପ୍ରଦାନ କରିଛନ୍ତି। ସେହି କାରଣରୁ ବିଦ୍ୟାରମ୍ଭ କାଳରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ସ୍ମରଣ କରି ତିନୋଟି ମୁଣ୍ଡୁଳି କରନ୍ତି ଏବଂ ଉକ୍ତ ମୁଣ୍ଡୁଳିକୁ ଲିଭାନ୍ତି, ଧୂଳିକୁ ମଥାରେ ମାରନ୍ତି।
ଗ୍ରହବିପ୍ରମାନେ ମାଟିବଂଶର ଏକ ଶାଖା। ସେମାନେ ବ୍ରହ୍ମାଙ୍କ ମୁଖରୁ ଜନ୍ମ ନେଇଛନ୍ତି। ସେମାନେ ଜ୍ୟୋତିର୍ବିଦ୍ୟା ଓ ବାସ୍ତୁବିଦ୍ୟା ବିଶେଷଜ୍ଞ ଅଟନ୍ତି।
ଲମ୍ବୋଦର ନାମକ ଅନ୍ୟ ଜଣେ ଓଝା ଓଝା ସଙ୍ଖାଳି ଶୀର୍ଷକ ପୋଥି ଲେଖିଛନ୍ତି । ସେ କହିଛନ୍ତି – ନଳମାପ ବୁଦ୍ଧିର କଥା। ବର୍ଗ ହିସାବ ତା’ଠାରୁ କଷ୍ଟ । ପଦାର୍ଥର ଘନଫଳ ନିଶ୍ଚୟ ଅତି କଠିନ । ଏହି ବିଦ୍ୟା ଖଡ଼ିକାରର ଦର୍ପକୁ ଭାଙ୍ଗିଦିଏ ଏବଂ ନାଗହରଣ ବିଦ୍ୟା ସାଧି ପାରିଲେ, ଜଣେ ଗଣିତଜ୍ଞ ହୋଇପାରିବ। (ଗଣିତ ପୋଥ ନମ୍ବର ୧୭୦) ବିକ୍ରମ ବର୍ଗକୋଟା ହିସାବ ବିଶେଷଜ୍ଞ। ଆପଣାର ଏକ ଗ୍ରନ୍ଥରେ, ଛତିଶ ବର୍ଗକୋଟା ସମାଧାନ କାଳରେ, ଅନ୍ୟ ଗଣିତଜ୍ଞମାନଙ୍କୁ ସୂତ୍ର ସଚେତନ ହେବାପାଇଁ ସେ ପରାମର୍ଶ ଦେଇଛନ୍ତି ।
ଦେବୀ, ଧରଣୀଧର, ଲୋକନାଥ, କୃପାସିନ୍ଧୁ, ଅଧର, ବୃନ୍ଦାବନ ଆଦି ଖଡ଼ିକାରଙ୍କ ଗଣିତ ଗ୍ରନ୍ଥ ପଢ଼ିଲେ ସେମାନେ ଯେ ଜଣେ ଜଣେ ସାଧକ, ଏହି ବାସ୍ତକତାକୁ ଅନୁଭବ କରିହୁଏ । ଦେବୀ ଦାସ,ଗଣିତବିଦ୍ୟାକୁ ଉଡ଼ନ୍ତା ସାପ ସହ ତୁଳନା କରିଛନ୍ତି [1]।
- ↑ Descriptive catalogue of Ganita Manuscript (ବର୍ଣ୍ଣନାତ୍ମକ ଗଣିତ ପାଣ୍ଡୁଲିପି) Author – Gauranga Charana Dash (ଗୌରାଙ୍ଗ ଚରଣ ଦାସ)